Unknown

 

 

 

 

ବାଣପୁର

ଗୋଦାବରୀଶ ମହାପାତ୍ର

 

 

 

 

 

 

 

 

 

ପରମଶ୍ରଦ୍ଧାଭାଜନ ଶ୍ରୀଯୁକ୍ତ ବାବୁ ବ୍ରଜସୁନ୍ଦର ଦାସଙ୍କ

କରକମଳରେ ମୋର ଏହି ଶିଶୁ ରଚନା

ବାଣପୁର ଭକ୍ତି ଓ ସ୍ନେହରେ ଅର୍ପଣ କଲି ।

 

କୃତଜ୍ଞତା

 

ଖୋରଧାର ତହସିଲଦାର ମାନନୀୟ ଶ୍ରୀଯୁକ୍ତ ହରି ମିଶ୍ର ବାଣପୁର ବାର୍ଷିକ ସଭାରେ ପଦ୍ୟ ରଚନା ନିମନ୍ତେ ମାଇନର ସ୍କୁଲ ଛାତ୍ରଙ୍କୁ ପୁରସ୍କାର ଦେବାର ଘୋଷଣା କରିଥିବାରୁ ମୁଁ ଏ ପଦ୍ୟ ଲେଖିଥିଲି । ପରେ ସେହି ପୁରସ୍କାର ପାଇ ଅତ୍ୟନ୍ତ ଉତ୍ସାହିତ ହୋଇଅଛି । ସେଥିସକାଶେ ମୁଁ ଉକ୍ତ ମହାଶୟଙ୍କ ନିକଟରେ ଋଣୀ । ମୋର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର ଓ ଅନ୍ୟାନ୍ୟ ଶିକ୍ଷକମାନଙ୍କଠାରୁ ବେଳେବେଳେ ଯେଉଁ ସୂଚନା ଓ ପରାମର୍ଶ ପାଇଅଛି, ସେଥିନିମନ୍ତେ କୃତଜ୍ଞତା କଣ ବା ଜଣାଇବି ? ତତ୍ପରେ ସତ୍ୟବାଦୀ ସ୍କୁଲରେ ମୋର ଭକ୍ତିଭାଜନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର ପଦ୍ୟଟିକି ପଢ଼ି ସଂଶୋଧନ କରିଅଛନ୍ତି । ତାଙ୍କ ହାତ ନ ଲାଗିଥିଲେ କେତେ ତ୍ରୁଟି ରହିଥାନ୍ତା । ଶିଷ୍ୟର ଭ୍ରମ ସଂଶୋଧନ କରିବା ଶିକ୍ଷକଙ୍କ କାର୍ଯ୍ୟ । ତାଙ୍କ ନିକଟରେ କୃତଜ୍ଞତା ଜଣାଇବା ଶିଷ୍ୟୋଚିତ ହେବ ନାହିଁ ବୋଲି ମୋର ଆଶଙ୍କା ହେଉଅଛି । ପରିଶେଷରେ ଅବଶ୍ୟ ସ୍ୱୀକାର କରିବି ଯେ ଭକ୍ତିଭାଜନ ମାନ୍ୟବର ବାବୁ ବ୍ରଜସୁନ୍ଦର ଦାସ, ବାବୁ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ ଏବଂ ମୋର ଜନ୍ମଭୂମିର ସୁସନ୍ତାନ ବାବୁ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ଉତ୍ସାହିତ ହୋଇଥିବାରୁ ମୁଁ ଆପଣାକୁ ଧନ୍ୟ ମଣିଅଛି ।

 

କୁମାରାଙ୍ଗ ଶାସନ, ବାଣପୁର

ଗୋଦାବରୀଶ ମହାପାତ୍ର

 

ବାଣପୁର

 

ନିସର୍ଗ-ମାଧୁରୀ-ଲଳିତ ପ୍ରକୃତି

ସୃଷ୍ଟି ଆଦିଦିନୁ ବିଶ୍ୱେ ଯା’ର ସ୍ଥିତି !

ନବ ଦମ୍ପତିର ନବ ପ୍ରେମୋଚ୍ଛ୍ୱାସ,

ମହର୍ଷି-ସଞ୍ଚିତ ଜ୍ଞାନର ବିକାଶ,

ପ୍ରେମିକ ପ୍ରେମିକା ପ୍ରୀତି ସମ୍ଭାଷଣ,

ଶଠ ଖଳଜନ ଅପ୍ରିୟ ବଚନ,-

ଏହିପରି କେତେ ଅତୁଲ୍ୟ ବିଭୂତି

ଅଭୟ ଭଣ୍ଡାରେ ନିହିଛୁ ପ୍ରକୃତି !

କିବା ଧନୀ ମାନୀ, କିବା ଉଚ୍ଚମନା,

ତୋର ପାଦପଦ୍ମେ ସର୍ବ ନତମନା ।

ତୋର ଦରଶନେ ବିମଳସଙ୍ଗୀତ

ପଲେକେ ହୃଦୟେ ହୁଅଇ ଧ୍ୱନିତ ।

କେତେ ନବରୂପ ଧରୁ ଲୋ ପ୍ରକୃତି !

କେତେ ତ କହିଛୁ ଅତୀତର ସ୍ମୃତି;

ବର୍ତ୍ତମାନେ କରୁ ଭବିଷ୍ୟତ ଠୁଳ,

ଭବିଷ୍ୟତ ତୋର ଅଗ୍ର ସହଚର ।

ଜୀବରାଜ୍ୟେ ଯେହୁ ଅତି ଦୀନହୀନ

ତୋର ଆଶ୍ରେ ନୋହେ କିବା ମହୀୟାନ !

ବିକଟ ଗର୍ଜନ, ମଧୁ କଳରବ

ବଳାହକେ ଇରମ୍ମଦର ତାଣ୍ଡବ,

ଅନନ୍ତ ଜଳଧି, ଶ୍ୟାମଳ ବିପିନ,

ସିନ୍ଦୂରିତ ଊଷା, ଆରକ୍ତ ତପନ,

ଜନମନମୋହୀ ସୁର ଶକ୍ରଧନୁ,

ବନ କେକାରବ, ଭୃଙ୍ଗ ଗୁଣୁଗୁଣୁ,

ଋତୁରାଜ ମଧୁ ପ୍ରଦୋଷ ଗରିମା,

କୁହେଳି-ଆବୃତ ଦିଗ୍‌ବଳୟ ସୀମା,-

କେତେ କେତେ ରୂପେ ଲଭୁ ତୁ ବିକାଶ,

କେତେମନ୍ତେ ଗଢ଼ି କରୁ ଲୋ ବିନାଶ ।

ପଷ୍ପୋଦ୍ୟାନ ତୁହି ପ୍ରେମପୁଷ୍ପେ ପୂରି

ଆହରନ୍ତି ଯୋଗୀ ହୃଦ-ଡ଼ାଲା ଧରି ।

ନୋହିଲେ କି ତୋର ଚିରସହଚର

ହୋଇଥାନ୍ତେ ଜ୍ଞାନୀ, ଗୁଣୀ, କବିବର ?

ନ ଥାଆନ୍ତା ଯଦି ତୋ ରୂପେ ମାଧୁରୀ,

ଈଶ କି ଆଶ୍ରନ୍ତେ କଇଳାସ ଗିରି ?

ଧନ୍ୟ ଲୋ ପ୍ରକୃତି ! ଧନ୍ୟ ତୋର ଗୁଣ,

ଧନ୍ୟ ତୋର ରୂପ, ଧନ୍ୟ ତୋ ଭିଆଣ ।

ଯେ ଗୁଣଗାୟନେ ବିମୋହିତ କବି,

କୋଟିଜନ ହୃଦ ଯାଏ ଲୋ ଦରବି,

ସେ ଗୁଣ କୀର୍ତ୍ତନେ ହେବ କି ଭାଜନ

ଏ ମୋର ଲେଖନୀ ଅତି ଅକିଞ୍ଚନ ?

ଆହା ବାଣପୁର, ମୋ ପ୍ରିୟ ଜନନୀ,

ତୋ ରୂପଛଟା ମୁଁ କି ବର୍ଣ୍ଣିବି ପୁଣି -

ଯହିଁ ଚାହେଁ ଶତ ଶୋଭାର ଭଣ୍ଡାର

ବିଲ, ବନ, ପଦା, ଶଇଳ , କେଦାର;

ଗୋଟିଏ ଗୋଟିକି ବଳି ଶୋଭାବନ -

କାନନୁଁ ଭୂଧର ଭୂଧରୁଁ ଗଗନ ।

ଇନ୍ଦ୍ରନୀଳକାନ୍ତି-ବସନେ ଶିଖରୀ

ରହିଅଛି ତୋର ପଦଦେଶ ଘେରି ।

ବିହଗ-କୂଜିତ ଚିରଝଙ୍କାରିତ,

ଭୂଜଗ-କୁଟିଳ ଗତି ଯା’ର ପଥ;

ଉଷା-ହେମଧୈାତ ସୈାଧ ଚୂଳବାସୀ,

ତୁଙ୍ଗ ତରୁ ଯା’ର କାଦମ୍ବିନୀସ୍ପର୍ଶୀ;

ଆପଣା ବିଭବେ ଅତି ବଳିଆର;

ଏକେ ଆନେ କିବା ତୁଳନା ତାହାର ।

ଯା ବିଜନ ବକ୍ଷେ ନରକଣ୍ଠସ୍ୱନ

ଶୁଣିନାହିଁ ବନ ବିକଟ ଶ୍ରବଣ;

ସହିଛି ଯେ ବନ ଭୀମ ଶୋଭାଶାଳୀ;

ନିଦାରୁଣ ନବ ପ୍ରାବୃଟ ଦମ୍ଭୋଳି;

ସେ ଚାରୁ ବିଶାଳ ଶଇଳ ତୋ ପଦେ

ଦିଶେ କି ରୁଚିର ଅତୁଳ ସମ୍ପଦେ ।

ସେହି ତ ଭାଲେରୀ ନୀଳ ପାରାବାର-

ନୀଳିମାକୁ ଜିଣି ଦିନେ ମନୋହର ।

ପ୍ରତୀଚୀ ପ୍ରାକାର ଗିରି ଖଣ୍ଡାହଣା

ମୃଗ, ମୃଗରାଜ ବକ୍ଷେ ଯା’ର ବଣା ।

ଅର୍ଦ୍ଧ-ଦିବା-ରବି କିରଣ ପ୍ରଖର

ଯା’ ଚୂଡ଼େ ଚୁମ୍ବଇ ଶୀତଳ ମଧୁର ।

ଶାଳ, ପିଆଶାଳ ପ୍ରତିହାରୀ ବ୍ୟାଜେ

ବକ୍ଷେ ଯା’ର ଶିର ଟେକିଛନ୍ତି ତେଜେ;

ନିମିଷେ ନିମିଷେ ଶ୍ୟାମ ଶାଖାରାଜି

ବାୟୁ ପ୍ରତିଘାତେ ପଡ଼ନ୍ତି ଆଉଜି;

ଶ୍ୱାପଦସଙ୍କୁଳ ବିକଟ କୋଟରେ

ଶୋଭେ ଖଣ୍ଡାହଣା ନୀଳ କଳେବରେ ।

ଯା’ର ଦରଶନେ ଶଙ୍କିତ ସେନେହ

ଦୂର ପାନ୍ଥ ମନେ ହୁଅଇ ଉଦୟ ।

ଉଷା ଅଂଶୁମାଳୀ ଯେ କର-ପ୍ରବାଳେ

ପରଶଇ ଧୀରେ ଖଣ୍ଡାହଣା ଶିରେ,

ସେହି କରେ ଆହା ଚୁମ୍ବେ ସେ ଅରୁଣ

ନଭସ୍ପର୍ଶୀ ଘଣ୍ଟଶିଳାର ବଦନ ।

ଅଭ୍ରଭେଦୀ ଶ୍ୟାମ ବିମାନ ଯେସନେ

ଶୋଭଇ ଶିଖରୀ ଶାଳିଆ ପୁଳିନେ ।

ରହିଛନ୍ତି ବେଢ଼ି ଶୋଲରୀ, ଭାଲେରୀ,

ରଥୀଗଣେ ଯଥା ଅଭିମନ୍ୟୁ ଘେରି ।

ପ୍ରାଚୀ ଦିଗ ଏକା ରହିଛି ମୁକୁଳା

ଶାଳିଆ-ଧଉତ କେଦାର ଶ୍ୟାମଳା ।

ଆହା, ମୋ ଶାଳିଆ ରଜତ ସଲିଳା,

ତୋ କୋଳେ କେତେ ମୋ ଶଇଶବଲୀଳା ।

କେତେ ଦିନେ ଆଉ ଯିବି ତ ବରଜି;

ଯହିଁ ଥିବି ସଦା ହେଉଥିବି ହେଜି ।

ଭେଦି ତୁ ଆସିଛୁ କେତେ ଅରଣ୍ୟାନୀ,

ଚିତ୍ରକୂଟ ପାଶେ କିବା ମନ୍ଦାକିନୀ ।

କଳକଳ ସ୍ୱରେ ଅବିରତ ଭୁଲି

ଆସିଅଛୁ ପଥେ କେତେ ରଙ୍ଗେ ଖେଳି ।

ତୋ ଅଙ୍ଗ ପରଶେ ଅସଂଖ୍ୟ ବ୍ରତତୀ

ପୁଷ୍ପେ ସୁଶୋଭିତା, ଫଳେ ଫଳବତୀ ।

ପଲ୍ଲୀବାସୀ ଦୀନ କୃଷକର ପ୍ରାଣ

ଶାଳିଆ ସୈକତେ ଆନନ୍ଦେ ମଗନ ।

ନିସର୍ଗ ପ୍ରବାହେ ଉଲ୍ଲସିତ ମନେ

ବିହଗ ନିକର ଗାଉଛନ୍ତି ବ୍ୟୋମେ ।

ଯା’ର ତଳଦେଶେ ପୁଣ୍ୟ ଅଧିଷ୍ଠାନ

ରଚି ବିରାଜନ୍ତି ଦେବ ତ୍ରିଲୋଚନ ।

କପିଳ-ଈଶ୍ୱର ନାମେ ଲୋକେ ଖ୍ୟାତ,

ଗିରିପଦଦେଶ ବନ କରି ପୂତ ।

ଦିବ୍ୟ ସରୋବର ରାଜଇ ପୁରତେ

ଗିରିଛାୟା ଧରି ସ୍ୱବକ୍ଷ ରଜତେ ।

ଭେକ ମୀନ ଆଦି କେତେ ଜଳଚର

ଅବିଲମ୍ବିଛନ୍ତି ତାର କଳେବର ।

ସମୀର ପରଶେ ଉଠଇ ଲହରୀ

ଭୁଜଗ ଗତିକୁ ସହସ୍ର ଧିକ୍‌କାରି ।

ପଶ୍ଚାତେ ଗମଇ ଶାଳାବତୀ ଶାଖା,

ବୃଷ୍ଟିହୀନେ ଯେହୁ ବାଣପୁର ସଖା ।

ଚଳଇ ସେ ଧୀର ମନ୍ଦ ଗତି ହୋଇ,

ଠାବେ ଉଠି ପଡ଼େ, ଠାବେ ଗରଜଇ ।

ଚାରୁ ପୁଷ୍ପ-ଫଳେ ହୋଇ ବିଭୂଷିତା

ଶୋଭନ୍ତି ତା କୂଳେ କେତେ ତରୁଲତା,

ସେହି ସେ ସାପୁଆ ଅତି ମନୋହର,

ତୀରଦେଶେ ଯା’ର ପାଟ, କୋଟପୁର ।

ଶ୍ୟାମଳ କେଦାର-ମାଳିକାର ମାଳେ

କିବା ଶୋଭାବନ ପ୍ରାଣ ମନ ହରେ ।

ଘଣ୍ଟଶିଳା ପଦେ ନାରୀକେଳ ବନ -

ଅଚ୍ୟୁତ ରାଜାଙ୍କ ସ୍ଥାପିତ ଶାସନ ।

ବାଣପୁର ପୁଣ୍ୟ ଶାନ୍ତିର ତପନ

ଦେବ ସୋମନାଥ କରି ଆଗମନ,

ମଣ୍ଡିଛନ୍ତି ଘଣ୍ଟଶିଳା ତଳଦେଶ,

ସୈାଧ ଦେବାଳୟେ ନ କରି ବିଳାସ ।

ଉଡ଼ଇ ପତାକା ହୋଇ ଫରଫର,

ଦେବଭୂମି ଆହା ମୋର ବାଣପୁର ।

ଦିଶେ କୁମାରାଙ୍ଗ ଶ୍ୟାମ କଳେବର

ନାରୀକେଳପୁଞ୍ଜେ ଅତି ପ୍ରିୟ ଜନପଦ ।

ସୁଖେ ଦୁଃଖ ନିତି ମୋ ପ୍ରାଣ-ସମ୍ପଦ

ମରଧାମେ ମୁହିଁ ଅକିଞ୍ଚନ ମତି

ତୋ କୋଳେ ଜନମି ଭାଗ୍ୟବାନ ଅତି ।

ତୋର ଏହି କୋଳେ ଲଭିଣ ଜନମ

କବିଚନ୍ଦ୍ର ପରା ଲୋକେ ଖ୍ୟାତ-ନାମ ?

କନ୍ଧପଲ୍ଲୀଶୋଭୀ ବିରଜା କାନ୍ତାର -

ବାଣପୁର ଚାରୁ ଶୋଭାର ଭଣ୍ଡାର ।

ପନସ, ବେତସ, ଚୂତ ଶ୍ୟାମଳିତ

ଶାଳାବତୀ ସ୍ୱଚ୍ଛ ସଲିଳ ସଂଜାତ ।

ଯା ଅଙ୍ଗ ପୁଷ୍ପିତ ତରୁଲତା କୁଞ୍ଜେ

ଦିବା ନିଶି ଅଳି ମଧୁ ଭୋଳେ ଗୁଞ୍ଜେ ।

ପ୍ରତୀଚୀ ଗଗନେ ଭାନୁ ଅବସାନ

ଦେଖି ଉଦେ ଯହିଁ ଶୁକ୍ର ସୁଶୋଭନ ।

ଅଟେ କିବା ସେହି ବନଦେବୀଙ୍କର

ସିନ୍ଦୂର ଲଲାଟେ ଶୁଭ୍ର ଚିତାଗାର ?

କେବେ ପୁଣି ଶୁଭ୍ର ବଳାହକମାଳା

ବନଚୂଡ଼େ କରେ କେତେ ରଙ୍ଗେ ଖେଳା ।

କେବେ ଶୁକ୍ରଚାପ ଶୋଭେ ନଭସ୍ଥଳେ

ବନଦେବୀଙ୍କର ଅର୍ଦ୍ଧଚନ୍ଦ୍ର ଭାଲେ ?

ନିବିଡ଼ କାନ୍ତାରେ ପରିଣତ ଗଡ଼ -

ଶ୍ରୀ ହରିଚନ୍ଦନ ସ୍ଥାପିତ ବଙ୍କାଡ଼ ।

ବୀରଦର୍ପ ଗାଥା ସଦା ମୁଖରିତ,

ଭାଗ୍ୟଦୋଷେ ଆଜି ସବୁ ବିପରୀତ !

ଶରଦଭ୍ରଧୈାତ ଦରୀ ମନୋହର

ଶାନ୍ତିଦେବୀଙ୍କର ବେହରଣ ସ୍ଥଳ ।

ଶୋଭଇ ଶୋଲରୀ ଘନ ବଂଶବନେ

ତୁଙ୍ଗ ଶୃଙ୍ଗ ତୋଳି ଅନନ୍ତ ଗଗନେ ।

କିଭଳି ଆହା ମୋ ଶଇଳ-ଶେଖର

ଚାରୁ ଚିତ୍ର-ମାଳା ବର୍ଣ୍ଣିବଇଁ ତୋର ?

ରାଜନ୍ତି ତୋ ବକ୍ଷେ ଜଗତ ଈଶ୍ୱରୀ

ମହାମାୟା ପୀଠଦେବୀ ସିଦ୍ଧାମ୍ବରୀ ।

ଚିଲିକା ମୁକୁରେ ନିରେଖି ବଦନ,

ଯୁଗ୍ମ ଆଲିଙ୍ଗନେ ସଂକୋଚି ଅୟନ,

ରାଜନ୍ତି ସମୀପେ ଯୁଗଳ ଭୂଧର -

ମାମୁ ଭଣଜା ସେ କିବା ମନୋହର ।

ମାମୁ ! ବକ୍ଷେ ତୋର ଉଠିଥିଲି ଦିନେ,

ପଡ଼ୁଛି ସେ କଥା ଆଜି ମୋର ମନେ ।

ହୋଇଥିଲି ଦିନେ ସରସ ଅନ୍ତରେ

ଉଭା ତୋ କୁଟଜ-ଶ୍ୟାମଳ ଶିଖରେ ।

ନବ ବେଶଭୂଷା ସେ ବନ-ପ୍ରବାସେ

ଦେଖିଲି କେତେ ମୁଁ ବିସ୍ମୟ ହରଷେ ।

ଶାଖାମୃଗମେଳ ବିକଟ ଚିତ୍କାର

ଆଣିଲା ମୋ ଚିତ୍ତେ ଭୟ ଭୟଙ୍କର ।

କରୁଥିଲା ତୋର ଉରସ ବିଦୀର୍ଣ୍ଣ

ରେଳମାର୍ଗଚାରୀ ଘର୍ଘର ଗର୍ଜନ ।

ପ୍ରକୃତିର ମଧୁ ମୋହନ ଶାଳିକା

ଶ୍ୟାମଳ ଶଇଳ-ମାଳିନୀ ଚିଲିକା !

ମତ୍ସଜୀବୀ ମତ୍ସରଙ୍କା ମେଳ ମେଳ;

ଦିଶୁଥିଲା ତାଙ୍କ ଆଭାସ କେବଳ ।

ତୋ ବକ୍ଷେ ଲହରୀ ହେମ କିରୀଟିନୀ,

ଉଷା-ରବିକରେ ସ୍ୱର୍ଣ୍ଣ କାଦମ୍ବିନୀ

ଉଡ଼ିଆସୁଥିଲା ସମୀର ସଙ୍ଗତେ

ତୋ ନୀର ଶୀତଳ ସେତେ ଦୂରପଥେ ।

କ୍ଷଣକ ମୋ ଅଙ୍ଗ-କ୍ଲାନ୍ତି ସ୍ୱେଦବାରି

କୋମଳ ପରଶେ ନେଲା ଅପହରି ।

ସେ ଚାରୁ ମାଧୁରୀ ଯିବ କି ମୋ ମନୁ

ସେ ଛବି କି ପୋଛି ପାରିବି ନୟନୁ,

ଦର୍ଶକ ଭାବୁକ ଚିର ମନୋହରା

ପୀଠ ନାରାୟଣୀ, ଡ଼ୋମଣି କନ୍ଦରା ।

ଏ ସବୁ ତୋହର ଶୋଭା ଉପାଦାନ,

ବାଣପୁର ! ତୁହି ଶୋଭାର ଆଶ୍ରମ ।

ଯୋଗୀ ଜନ ଯୋଗ୍ୟ ଆସ୍ଥାନ, କାନ୍ତାର

ମଣ୍ଡିଛି ବିଶାଳ ତୋର କଳେବର ।

ପୀଠ ଚତୁଷ୍ଟୟ ତୋର ଚାରିଦିଗ

କରିଆସୁଛନ୍ତି ପୂତ ଯୁଗ ଯୁଗ ।

ନିସର୍ଗ ମାଧୁରୀ ଯେବେ ଏହି ସ୍ଥଳ

ପରଶି ନ ଥିଲା, ଅରଣ୍ୟ-ସଂକୁଳ ।

ଥିଲା ଭୂମିଖଣ୍ଡ, ବାଣାସୁର ଏଥି

କରୁଥିଲା ରାଜ୍ୟ, କହେ କିଂବଦନ୍ତି ।

ଶଇଳୁଁ ଶଇଳେ କରି ସେ ବିହାର

ରଖିଅଛି ବାଣପୁର ନାମ ତାର ।

ରାଜପଦଭୀତ ଯା’ର ପୂର୍ବ-ସ୍ମୃତି

ମୃତ୍ତିକାର ବନ୍ଧ ବିଚ୍ଛିନ୍ନ ଆକୃତି

ସେ ଆଜି ହୋଇଛି ଦିବ୍ୟ ଅଧିଷ୍ଠାନ

ପ୍ରକୃତି ଦେବୀର ବିହାର କାନନ ।

କଳା ପାଟଶାଢ଼ି-ପରିହିତା ଦେବୀ

ପାର୍ବଣେ ଯା’ ତନୁ ବଳିରକ୍ତ ସେବି,

ଘଣ୍ଟଶୈଳତଳ ଶାଳିଆ ପୁଳିନେ

ଶେଫାଳି, ଟଗର, ନାଗେଶ୍ୱର ବନେ

ଥିଲେ ଯେଉଁ ଦେବୀ ବୃକ୍ଷମୂଳବାସୀ

ସୈାଧବାସେ ଆଜି ବିରାଜନ୍ତି ହସି ।

ସତ୍ୟେ ଦକ୍ଷ-ମହା-ଯଜ୍ଞେ ଯେଉଁ କାଳେ

ଅପମାନେ ସତୀ ଝାସିଲେ ଅନଳେ,

ବିଶ୍ୱଗ୍ରାସୀ ଚଣ୍ଡ ଈଶ ଭୟେ ଅବା

ଦକ୍ଷ ପ୍ରଜାପତି ସଙ୍ଗତେ ମଘବା

ଲୁଚିଲେ କି ଆସି ଏ ଗିରି ସମ୍ପୂଟେ

ଭାଲେରୀ, ଶୋଲରୀ ମଧ୍ୟଗତ ପଥେ ?

ବାଣପୁର ! କେଉଁ ପୁଣ୍ୟବଳେ ଧରି-

ଅଛୁ ତୋର ବକ୍ଷେ ଅସଂଖ୍ୟ ଶିଖରୀ ।

କାଳଚକ୍ରେ ଯେବେ ତୋ ମୋହନ ଅଙ୍ଗ

ଭୋଗେ ନିଦାରୁଣ ଭୀଷଣ ନିଦାଘ,

କେଡ଼େ ନିଷ୍ଠୁର ସେ ନୁହଞଇ ମରତେ,

ଆସେ କି ପ୍ରକୃତି ତରବାରିହାତେ ?

ପ୍ରସନ୍ନ ଶାଳିଆ ହୁଏ ନୀରହୀନ,

ବ୍ୟୋମପଟ ହୁଏ ଜଳଧରଶୂନ୍ୟ ।

ପ୍ରବେଶି ନିଦାଘ ମଧ୍ୟାହ୍ନ ସମୟ

ତାପେ ଘୋରତାପେ ପାଦପନିଚୟ।

ଭାଲେରୀ ଶିଖରେ ଜ୍ୱଳନ୍ତ ଅୟନେ

ଜଳି କି ଯାଆନ୍ତି ମୃଗଦଳ ବନେ ?

ହଳଦୀବସନ୍ତ ଶୁଷ୍କ ତରୁଡ଼ାଳେ,

ସହକାର କିଶଳୟେ ବସି ଭାଳେ ।

ଭାଳେ କି ସେ ଅବା ଋତୁ-ରାଜ କଥା,

ଦାରୁଣ ନିଦାଘେ ଲଭି ଘୋର ବ୍ୟଥା ?

ହୁଅନ୍ତେ ତାପେ ତୋ ବକ୍ଷ ଉତପତ,

ଖଣ୍ଡିଆଭୂତ ସେ ଧୂଳି ଶୁଷ୍କ ପତ୍ର

ଉଡ଼ି ଉଡ଼ି ଯାଏ କେତେ ରଙ୍ଗେ ଖେଳି

ପ୍ରଳୟ ତାଣ୍ଡବୁ ବିକଟ ଆହୁରି ।

ବସି ଘଣ୍ଟଶିଳା ରୁଦ୍ର ବକ୍ଷେ ତୋର

କାଠହଣା ପକ୍ଷୀ ଡ଼ାକେ ଭୟଙ୍କର ।

ଭାଲେରୀ, ଶୋଲେରୀ ପରଶି ଗଗନ

ମରୀଚିକା କାୟେ ଦିଶନ୍ତି ମଳିନ ।

ଦିଶେ ଗଛପତ୍ର ରୁଢ଼ିଆ ରୁଢ଼ିଆ

ମାମୁ-ଭଣଜାରା ଚୂଳେ ହୋଇ ଠିଆ ।

ବହେ ବେଳୁଁ ବେଳ ଗରତମ ପବନ

ଅରାଜକ ରାଜ୍ୟେ ଯେହ୍ନେ ବଳବାନ ।

ଡ଼ାକନ୍ତି ଚାତକେ ଫଟାଇ ଗଗନ,

ଘନାଗମେ ସେ କି ବିକଳ ଆହ୍ୱାନ ?

ଭାଲେରୀ, ଶୋଲରୀ ଶିଖେ ଦାବାନଳ

ଜଳି ଶୁଭ୍ରାକାଶ କରଇ ଆବିଳ ।

ଖଣ୍ଡ ଖଣ୍ଡ ଦିଶେ ଦୂରୁ ବନ-ନିଆଁ,

ଦେଖି ଥରେ ମାତା କୋଳେ ଶିଶୁ-ହିଆ ।

ନୀହାରିକା ସମ ଅବା ବେଳେବେଳେ

ଲୁଚେ ସେ ଦାବାଗ୍ନି ଗଛ ଆଢ଼ୁଆଳେ ।

ଅଗ୍ନି ଚଉପାଶେ ନ ପାଇଣ ବାଟ

କାତରେ ଜନ୍ତୁଏ ହୁଅନ୍ତି ଉଚ୍ଚାଟ ।

ଏହିଭଳି କେତେ ଦୃଶ୍ୟ ନିଦାରୁଣ

ବାଣପୁର ! ତୋର ଦେଖିଛି ନୟନ ।

ନିରାଶାର କେତେ ଜ୍ୱଳନ୍ତ ଲହରୀ

ଦେଖିଛି ତୋ ଅଙ୍ଗେ ଯିବାର ମୁଁ ଖେଳି ।

ତେବେହେଲେ ତୋର ମୋହନ ମୂରତି

ଏ ନେତ୍ରଯୁଗଳେ ରହିଅଛି ନିତି ।

ଭୁଲି କି ପାରିବି ସେ ଚାରୁ ପ୍ରତିମା,

ଏ ସ୍ୱର୍ଗ-ରାଇଜେ ଛବି ଅନୁପମା !

ଉଷା ମଧୁରତା, ସନ୍ଧ୍ୟାର ସୈାନ୍ଦର୍ଯ୍ୟ

ଦେଖିଲେ ଭାବୁକ ପରାଣ ଆଶ୍ଚର୍ଯ୍ୟ ।

ସହକାର କିଶଳୟ ଛାୟାତଳେ,

ଅବା ଜଟାଧାରୀ ବଟବୃକ୍ଷମୂଳେ,

ଚିର ଶାନ୍ତିମୟ ମଣି ତାକୁ ଏକା

ଆଶ୍ରନ୍ତି ସରବେ ମନୁ ତେଜି ଦକା ।

ଶାଳିଆ ସୈକତେ ପଡ଼ି ରବିକର

ଦିଶେ ଦୂରେ ହୀରା-ରେଣୁର ଆକାର ।

କୋମଳ ଶ୍ୟାମଳ ରକ୍ତାଭ ପଲ୍ଲବ

ବଟ ବୃକ୍ଷେ ଦୂରୁ ଦିଶଇ ଦୁର୍ଲଭ ।

ଶୋଭଇ ସେ ବଟ ରକ୍ତ ପେନ୍ଥା ଫଳେ

ମଣ୍ଡିଛି କି ଅଙ୍ଗ ପଦ୍ମରାଗଛଳେ ?

ଭାଲେରୀ ଶିଖରେ ଦିଶେ ଗୁଣ୍ଡିତରୁ

ରକ୍ତିମାରେ ଜିଣି ପଦ୍ମରାଗ ଦୂରୁ ।

ଶାଳିଆ ସୈକତ ପକ୍ୱଚୂତେ ଭରା,

କୁଳିଆ ଶାସନ, ପ୍ରତାପ, ତାମରା ।

ବଇଁଚ, ଫିରିକି, ଶଗଡ଼ବାଟୁଆ,

କିଆବୁଦା ତଳେ ଲୁଚି କୁମ୍ଭାଟୁଆ,

ଦିଅନ୍ତି ବୋବାଇ ଦିନେ ବେଳେବେଳେ,

ବନ, ଗରି, ଦରୀ ସେ ରାବେ ଉଛୁଳେ ।

ପଲ୍ଲୀ-ଶିଶୁଗଣ ଶୁଣି ସେ ଆରାବ

କୈାତୁକେ ଦିଅନ୍ତି ମଧୁ ପ୍ରତି-ରବ ।

କୋଚିଳାବହୁଳ ବିରଜା କାନନ

ଉଛୁଳେ କୋଚିଳାଖାଇ-ନାଦେ ଘନ ।

ଘଣ୍ଟଶିଳା ଶିଖେ ତରୁ ମୂଳେ ନତ-

କରିଣ ମସ୍ତକ ରାବଇ କପୋତ ।

ନିଶୀଥେ ଟିଟ୍ଟିଭ କେକେରେ କେକେରେ

ସୁଖ-ସୁପ୍ତ ଜନେ ଜାଗରିତ କରେ ।

କୁହେଳି-ଆଚ୍ଛନ୍ନ ହୋଇ ସୁଧାକର

କରନ୍ତି ଗଗନେ ରାଜତ୍ୱ ବିସ୍ତାର ।

ଭାଗ୍ୟ-ବିପର୍ଯ୍ୟୟେ କରେ ପରିପ୍ଲୁତ

କାଦମ୍ବିନୀଧାରା ଝରିଣ ନିରତ ।

ବିଦ୍ୟୁଲ୍ଲାସେ ହସେ ବଳାହକମାଳା-

ନିଦାଘ-ସଞ୍ଚିତ ଜଳରାଶି ଲୀଳା ।

ପଲ୍ଲବେ କାନନ ନବୀନ ଅଙ୍କୁରେ

ଭାଲେରୀ, ଶୋଲରୀ, ଖଣ୍ଡାହଣା ଶିରେ ।

ଘଣ୍ଟଶିଳା ଚାରୁ ଯାମଳ ଶିଖରୀ

ଧରଇ ପ୍ରାବୃଟେ ମୋହନ ମାଧୁରୀ ।

ରମ୍ଭାନାସି, ପୂତ ନାରାୟଣୀ ପୀଠ,

ବାଣପୁର ପୂର୍ବ-ଗୈାରବ ସଂକେତ ।

ବଙ୍କାଡ଼ ବିଜନ ନିଘଞ୍ଚ କାନନ;

ବିରଜାଈ ପୀଠ ଯା’ର ପୁଣ୍ୟସ୍ଥାନ ।

ଲଭନ୍ତି ଶ୍ୟାମଳୁଁ ଶ୍ୟାମତର କାନ୍ତି

ସୁଷମାରେ ଜିଣି ମହେନ୍ଦ୍ର ମୂରତି ।

ଜଳଦ ଗର୍ଜନ, ବରଷା ଆସାର,

ଭେକ, ବଣି, କୁଆ ରବ ସୁମଧୁର,

ବନୁବନାନ୍ତରେ ଭେଦି ଆସେ ବାତେ

ବିରଜା କାନନୁଁ ବହୁ ଦୂର ପଥେ ।

ଭେଦି ଘଣ୍ଟଶିଳା ଶାଳିଆ ପୁଳିନେ,

ସାପୁଆ ବାଉଁଶ ଜଳ ଆସ୍ତରଣେ,

ପ୍ରବେଶି ସେ ରବ ପାଷାଣ ସଉଧେ

ଉଛୁଳି ପଡ଼ଇ ପ୍ରତିଧ୍ୱନି ନାଦେ ।

ଭାଲେରୀ ଶିଖରୁ ଝର-କଳସ୍ୱର

କରେ ଝଙ୍କାରିତ ବନ, ଗିରି, ତୀର ।

ଭାଲେରୀ ! ନିଶୀଥେ ତୋର ଚାରୁ ଝର

ଉଛୁଳାଇ ଦିଏ ମୋ ହୃଦ-କନ୍ଦର ।

ଭ୍ରମିଛି କେତେ ମୁଁ ତୋ ମଧରୁ କୋଳେ,

ଭୟଙ୍କର ପଥେ, ଭୀଷଣ ଗୁହାରେ ।

ପାବଚ୍ଛୁଁ ପାବଚ୍ଛ ଡ଼େଇଁ କେତେ ଥର

ଦେଖିଅଛି ତୋର ଚାରୁ କଳେବର ।

ଭୁଜଗ-କୁଟିଳ-ଗତି ଜଳପଥ

ଦେଖିଛି ମୁଁ ତୋର ଉରସେ ବହୁତ ।

ତୋର ଚାରୁବକ୍ଷେ ଲତା ତଳେ ଲଇଁ

କୁଟଜ ତୋଳିଛି କେତେ ଥର ମୁହଁ ।

ଦେଖିଛି ତୋ କୋଳେ ହରିଣ, ଶମ୍ବର,

ଦେଖିଛି ଭୀଷଣ ନୃଶଂସ ଶାର୍ଦୂଳ ।

ଅଶୋକ, ଧାତୁକୀ, କଣ୍ଟା ପାଳଧୁଆ

ରାହାଣ, ଗମ୍ଭୀର, ବେଲ, କାଳଚୁଆ;

ଦେଖିଛି ତୋ ବକ୍ଷେ ଛବି ଅଗଣିତ

ଦେଖିଛି ତୋ ବକ୍ଷେ ଛବି ଅଗଣିତ

ଦେଖିଛି ପ୍ରଦୋଷ, ଦେଖିଛି ପ୍ରଭାତ ।

ପୂତ ପ୍ରେମେ ପ୍ରାଣ ଉଛୁଳି ଆସଇ

ଦେଖିଳେ ତୋ ତୁଙ୍ଗ ଶୃଙ୍ଗେ ଛିଡ଼ାହୋଇ ।

ଦିଶେ ପଲ୍ଲୀବାସ ବୃକ୍ଷପୁଞ୍ଜ କୋଳେ,

ଧୂମ ଉଠେ କାହିଁ କୁଞ୍ଚିତ ଗତିରେ ।

ବକଶ୍ରେଣୀ ପରି ଦିଶନ୍ତି ଗୋରୁଏ,

ପଲ୍ଲ୍ୱଳ ଦିଶଇ ପାଣିଚୋଳା ପ୍ରାୟେ ।

ନ ଶୁଭେ ସଂସାର ଡ଼ାକହାକ କିଛି,

ଶାନ୍ତି କି ନିସର୍ଗ ନିଳୟ ରହିଚି ?

ଚାହିଁଲେ ଦିଗନ୍ତେ ଶୃଙ୍ଗପରେ ରହି,

ଶୃଙ୍ଗପରେ ଶୃଙ୍ଗ ତା ପରେ ଦିଶଇ ।

 

ଦିଶେ ମର୍ଦ୍ଦରାଜ ପାଳିତ ଧରଣୀ,

ଦିଶେ ସୁମଞ୍ଜୁଳ ବନଗିରିଶ୍ରେଣୀ ।

ବଂଶକୁଞ୍ଜ-ଶୋଭୀ ଘଣ୍ଟଶିଳା ଗିରି

ଦିଶେ ଏଥି ବଡ଼ ମାଟିକୁଦ ପରି ।

ଶିଳାଖଣ୍ଡ ମିଶେ ଗୋଡ଼ି-ଖପରାରେ,

ବୃକ୍ଷ, ଲତା, ଗୁଳ୍ମ ମିଶନ୍ତି ଘାସରେ ।

ତୋର ଚାରୁ କୋଳେ ନାରାୟଣୀ ପୀଠ,

ଦେଶଦେଶାନ୍ତରେ ଯା’ ନାମ ପ୍ରକଟ,

ନିର୍ଝରଧ୍ୱନିତ ନାରାୟଣୀ ଗିରି

ତୋର ଅଙ୍ଗ ପାଶେ ଘାସବୁଦା ପରି ।

ମାଙ୍କଡ଼ଗଡ଼ିଆ ଗୋଡ଼ି ରଗଡ଼ିଆ

ତୋ ପାଶେ ବାମନ ବେଶେ କିବା ଠିଆ !

ତୋ ଶିଖରେ ରହି ଅନାଇଲେ ବାରେ

କିବା ସେ ନିସର୍ଗ ସମ୍ପଦ ପୟରେ !

କ୍ରମୁ କ୍ରମନିମ୍ନ ଦିଶଇ ଭୂତଳ

ଗ୍ରାମ, ତୋଟା କୁଞ୍ଜ ଅତି ମନୋହର ।

ନାରୀକେଳ, ପୂଗ, ଖର୍ଜୁର, ପନସ

ଶ୍ୟାମ ଛବି କୁଞ୍ଜେ ହରନ୍ତି ମାନସ ।

ତୋର ଚାରୁ ତଟେ ପୁନ୍ନାଗ, ଟଗର

କିଆଫୁଲ ଫୁଟି ଦିଶେ ମନୋହର ।

ଦିବା ଶେଷଭାଗେ ଭ୍ରମୁ ଭ୍ରମୁ ଦିନେ

ଯେ ଛବି ଦେଖିଲି ଲାଖିଛି ନୟନେ ।

ହସୁଥିଲେ ରବି ପଶ୍ଚିମ ଆକାଶେ

ତୋର ଚାରୁ ଚୂଡ଼ ପରଶିବା ଆଶେ ।

ଚିତ୍ରିତ ସପତ ସ୍ୱର୍ଣ୍ଣ କରଜାଳ

ଚୁମ୍ବୁଥିଲା ଚାରୁ ଘଣ୍ଟଶିଳା ଶିର ।

ହେଉଥିଲା ଏଣେ ମାମୁ-ଭଣଜାର

ପ୍ରାଚୀ ଦିଗପ୍ରାନ୍ତ କ୍ରମେ ଅନ୍ଧକାର ।

ସରଳାପଦର ସ୍ୱଚ୍ଛ ସରୋବରେ

କ୍ରୀଡ଼ୁଥିଲେ ହଂସ ପ୍ରାଣପୁଲକରେ ।

ବାରିଦର ମାଳା ସନ୍ତରେ ଆକାଶେ

ଅସ୍ତ ରବିକରେ ହେମତରୀ କି ସେ ?

ହଂସ, ବକରାଳୀ, ସଞ୍ଚାଣ, କପୋତ

ଉଡ଼ି ଉଡ଼ି ଯାଉଥିଲେ ଗୁଡ଼ିବତ;

ଘଣ୍ଟାଶିଳା ଶିଖୁଁ ଓହ୍ଲାଇ ସେ ଖରେ

ଦଳ ଦଳ ହୋଇ ତୋ ଚାରୁ କୂଳରେ,

ଉଡ଼ିଯାଉଥିଲେ ଉଡ଼ିଆସୁଥିଲେ,

କେତେ ବୃକ୍ଷେ, କେତେ ପାଟେ ବସୁଥିଲେ ।

ହଳଦୀବସନ୍ତ ବସି ଠାବେ ଠାବେ

ଢାଳୁଥିଲା ମଧୁ ସାନ୍ଧ୍ୟ ସୁଧା-ରବେ ।

ଚିଲିକା ପୁଳିନୁ ଉଡ଼ି ପକ୍ଷିମାନେ

ମହୋଲ୍ଲାସେ ଗମୁଥିଲେ ପକ୍ଷଯାନେ ।

ରବିକର ଅସ୍ତ ଦେଖି ତାମରସ

ନିଶୀଥ ଯାତନା ଭାବି କି ବିରସ ।

ବସି ଫୁଲବନେ ମହୁମାଛିପଲ

ପୁଷ୍ପରେଣୁ ସଙ୍ଗେ ହେଉଥିଲେ ଗେଲ ।

ପଡ଼ୁଛି ଏ ସବୁ ଆଜି ମନେ ମୋର,

ରହିଛି ହୃଦୟେ ସ୍ୱର୍ଣ୍ଣ ତିନିଗାର ।

ଭ୍ରମଇ ନୀରଦ ଆକାଶଦେଶରେ

କଜ୍ଜ୍ୱଳ କାନ୍ତିକୁ ସହସ୍ର ଧିକ୍‌କାରେ ।

ଫୁଟେ କେତେ ଫୁଲ ଫୁଲ-ଉପବନେ

ଦର୍ଶକର ମନ-ନୟନ ହରଣେ ।

ମରକତ କାନ୍ତି ରଜତ ପତ୍ରିକା

ଦର-ପ୍ରସ୍ଫୁଟିତେ ଶୋଭେ ଶେଫାଳିକା ।

ପୋଖରୀ ହୁଡ଼ାରେ ଦେଉଳ ବେଢ଼ାରେ

ଗ୍ରାମପ୍ରାନ୍ତେ ଅବା କଣ୍ଟାବଣିଆରେ

କାହାଳୀ ଆକୃତି ପୀତ କନିଅର

ଟେକିଣ ମସ୍ତକ ଦିଶଇ ସୁନ୍ଦର ।

ଗୁଞ୍ଜରି ଗୁଞ୍ଜରି ଉଡ଼ିଆସି ଭୃଙ୍ଗେ

ବସି ପଦ୍ମ କୋଳେ ଗାଆନ୍ତି କି ରଙ୍ଗେ ।

ଶୁଆ, ବଣି, ପାରା, କୋଇଲି, କପୋତ

ବେନି ପକ୍ଷଯାନେ ପକ୍ଷୀ ଅଗଣିତ

ବଜାଇଣ ସାନ୍ଧ୍ୟ ନାଗରା ସଘନେ

ଚଳନ୍ତି ଉସତେ ବାରୁଣୀ ଗଗନେ ।

ବକ ସଙ୍ଗୀ ବକୀ ଉଡ଼ିଣ ଆକାଶେ

ବନେ ବନେ ଭ୍ରମି ବୁଲନ୍ତି ହରଷେ ।

ଶୁଭଇ ମୟୂର ଚଟକର ଡ଼ାକ

ସନ୍ଧ୍ୟା ଆଗମନ ସୂଚାଏ ଡ଼ାହୁକ ।

ବୁଡ଼ି ଅର୍ଦ୍ଧଜଳେ ରାବନ୍ତି ଦର୍ଦ୍ଦୂରେ

ଶ୍ରବଣ ସ୍ତବଧ କରି ଶବଦରେ ।

ସାଧବବୋହୂର ରଙ୍ଗ ଶରୀରଟି

ଘାସପଡ଼ିଆରେ ଦିଶୁଥାଇ ଫୁଟି ।

ଦିଶେ ଦିଗ୍‌ବଳୟବ୍ୟାପୀ ଇନ୍ଦ୍ରଧନୁ

ବାରେ ଦେଖିଲେ ଯା’ ନ ଯିବ ନୟନୁ ।

ଶରତେ ତୋ ରୂପ ଦିବ୍ୟ ମନୋହର

ଶସ୍ୟ-ଶ୍ୟାମଳିତ ତୋର ବକ୍ଷସ୍ଥଳ ।

ପଲ୍ୱଳ, ତଡ଼ାଗ ଦିଶେ ଅନାବିଳ

ଫୁଟନ୍ତି ନିର୍ମଳ କୁମୁଦ, କହ୍ଲାର ।

କାଶତଣ୍ଡୀ ଫୁଲେ ଧବଳିତ ଧରା

ଭାବୁକ-ଦର୍ଶକ-ପ୍ରାଣମନୋହରା ।

ସୁମନସଙ୍ଗିନୀ ରଜତବରନା

ଉଷା ନାଚିଉଠେ ପ୍ରାଚୀ ଦିଗଙ୍ଗନା ।

ସେ ଦିଗଙ୍ଗନାର ବନ୍ଦାପନା ଆଶେ

ଶେଫାଳିକା ପରା ବୃକ୍ଷ ଚୂଳୁଁ ଖସେ ।

ଗାଏ ଯଶୋଗୀତି ଧୀର ସମୀରଣ

ପତ୍ର ମରମରେ ପାଦପେ ବାଜିଣ ।

ଶାଳିଆ ସାପୁଆ ବହି ଶୀର୍ଣ୍ଣ ତନୁ

ସ୍ୱବକ୍ଷେ ଦେଖନ୍ତି ନବୋଦିତ ଭାନୁ ।

ଲଭନ୍ତି ନିଶୀଥେ ଜ୍ୟୋତ୍ସ୍ନା ସୁମଧୁର

କି ରଙ୍ଗେ ମିଶାଇ ସିକତା ସଲିଳ ।

ମଆ ଭଗବତୀ କରୁଣାନୟନୀ

ବାଣପୁର ହୃଦ-ଚାନ୍ଦ ସ୍ୱରୂପିଣୀ ।

ସର୍ବ ଅଗ୍ରେ ତୋର ପୂଜା ଏ ଭୁବନେ,

ସର୍ବବ୍ୟାପୀ ତୁହି ବିଧିର ବିଧାନେ ।

କେଉଁ ପୁଣ୍ୟବଳେ ପୀଠସମାଜରେ

ଗଣ୍ୟ ବାଣପୁର ତୋର କୃପାବଳେ ।

ତୋ କୃପା-ଚାହାଣି ମୃତ-ସଞ୍ଜୀବନୀ,

ନିରାଶ ପରାଣେ ଢ଼ାଳେ ଆଶା-ବାଣୀ ।

ତୋ କରୁଣା ବଳେ ଏହି ବାଣପୁର

ହୋଇଥିଲା ଦିନେ କୀରତି-ଭଣ୍ଡାର ।

ବହିଥିଲା ଦିନେ ମଧୁବାତ ମନ୍ଦ୍ର

ଜନ୍ମିଥିଲେ ଶୁଭ ଯୋଗେ କବିଚନ୍ଦ୍ର ।

ଫୁଟିଥିଲା ଦିନେ ଜ୍ଞାନ-କମଳିନୀ,

ଉଠିଥିଲା ଦିନେ ଏକତାର ଧ୍ୱନି ।

ଜନ୍ମିଥିଲେ ଏଥି ନାରୀ-ସୀମନ୍ତିନୀ,

ଥିଲେ ମହାତେଜା ରାଜା ଗୁଣମଣି ।

ଉଇଁଥିଲା ଦିନେ ଏଥି ଦିବ୍ୟ ଉଷା

କୀର୍ତ୍ତି-ପାରିଜାତ-ପୁଷ୍ପ-ମାଳଭୂଷା ।

ଅଛି ସେହି ଦେଶ ଅଛି ସେ ଦେଉଳ,

ଅଛି ସେ ଶିଖରୀ, ଛନ୍ତି ଦେବୀକୁଳ ।

କାହିଁ ସେ ଗୀତିକା, କାହିଁ ସେହି ସ୍ୱନ ?

ହାହାକାରେ ପୂର୍ଣ୍ଣ କନ୍ଦରା ଗହନ ।

ଯାଇଛି ନିଦାଘ, ଯାଇଛି ଶରତ,

ଯାଇଛି ବରଷା, ଯାଉଅଛି ଶୀତ ।

ଆସିବ ବସନ୍ତ ନବବେଶ ସାଜି,

କଳା ମେଘ କାହିଁ ଯିବେ ତ ଆଉଜି ।

ଫୁଟିବେ ଆକାଶେ ତାରା ଗୋଟି ଗୋଟି,

ବାଣପୁର ଭାଗ୍ୟ ଆସିବ ଲେଉଟି ।

ମେଲିବେ କିରଣ ଚନ୍ଦ୍ରମା ଗଗନେ,

ଶୋଭିବେ ନିକୁଞ୍ଜେ ବିକଶି ସୁମନେ ।

କୋଳାହଳେ ପୂର୍ଣ୍ଣ ହୋଇବ ଚିଲିକା,

ଉଠିବ ହୃଦୟେ ନବୀନ ଗୀତିକା,

ତରଙ୍ଗ-ଦୋଳାରେ ହେବ ଦୋଳାୟିତ;

ଶୁଭ୍ରାକାଶ ଦେଖି ହୋଇବ ମୋହିତ ।

ଗିରିଚୂଳେ ବସି ହରଷେ କୋକିଳ

ଗାଇବ ପୂରୁବ କୀରତି ବିମଳ ।

ଜନମିବେ କେତେ ସୁଯୋଗ୍ୟ ନନ୍ଦନ

କର୍ମୀ, ଭକ୍ତ, ଗୁଣୀ, କବି, ଜ୍ଞନବାନ ।

ଆସିଲାଣି ଦିନ ଶୁଭିବ ତ ସ୍ୱର

‘‘ଜୟ ବାଣପୁର ! ଜୟ ବାଣପୁର !’’

ସେ ସ୍ୱର ସର୍ବତ୍ର ହେବ ନିନାଦିତ

ସୁଷୁପ୍ତ ସନ୍ତାନେ କରି ଜାଗରିତ ।

କନ୍ଦରେ କନ୍ଦରେ ଭେଦି ସେହି ସ୍ୱର

ହୃଦେ ହୃଦେ ଯିବ ପରଶି ମଧୁର ।

ଗମ୍ଭୀର ନିନାଦେ ଉଚ୍ଚାରିବ ବାଣୀ-

‘‘ଉଠ ହେ ସନ୍ତାନେ, ନିଶି ପାହିଲାଣି ।

ଉଠ ହେ ସନ୍ତାନେ ପୂର୍ବ-କୀର୍ତ୍ତି ସ୍ମରି,

ଗଲାଣି ତ ବହୁଦିନ ଅପସରି,

କେତେ କାଳ ଥିବ ସପନେ ଜଡ଼ିତ ?

 

ଉଠ ହେ, ହେଲାଣି ଏ ନବ ଜଡ଼ିତ ?

ଉଠ ହେ, ହେଲାଣି ଏ ନବ ପ୍ରଭାତ ।’’

ମାଆ ଭଗବତୀ ବରଷି କରୁଣା

ସତେ କି କରିବ ପୂର୍ଣ୍ଣ ଏ କାମନା ?

 

***